ବୁଲା କୁକୁର ମାମଲାର ବିଚାର କରିବେ ସିଜେଆଇ ବିଆର୍ ଗଭାଇ, ସୁପ୍ରିମକୋର୍ଟର ଦୁଇ ଖଣ୍ଡପୀଠ ଦେଇଥିଲେ ଭିନ୍ନ ଭିନ୍ନ ରାୟ

Published By : Prameya-News7 Bureau | August 13, 2025 IST

ନୂଆଦିଲ୍ଲୀ: ସୁପ୍ରିମକୋର୍ଟ ନିକଟରେ ଦିଲ୍ଲୀ-ଏନସିଆରର ବୁଲା କୁକୁରଙ୍କୁ ନେଇ ଏକ ଗୁରୁତ୍ୱପୂର୍ଣ୍ଣ ରାୟ ଶୁଣାଇଥିଲେ । ସର୍ବୋଚ୍ଚ ଆଦାଲତ କୁକୁରଙ୍କୁ ରାସ୍ତାରୁ ହଟାଇ ଆଶ୍ରୟ ସ୍ଥଳରେ ରଖିବା ପାଇଁ ନିର୍ଦ୍ଦେଶ ଦେଇଥିଲେ । ତେବେ ଏହି ନିର୍ଦ୍ଦେଶକୁ ନେଇ ସାରା ଦେଶରେ ପ୍ରତିକ୍ରିୟା ଦେଖିବାକୁ ମିଳିଥିଲା । ଅନେକ ଲୋକ ଏହି ନିଷ୍ପତ୍ତିକୁ ବିରୋଧ କରୁଛନ୍ତି । ଏହାରି ଭିତରେ ଏବେ ସିଜେଆଇ ସୁପ୍ରିମକୋର୍ଟର ଦୁଇ ଭିନ୍ନ ଭିନ୍ନ ଖଣ୍ଡପୀଠଙ୍କ ରାୟ ଉପରେ ବିଚାର କରିବେ । ସିଜେଆଇ ବିଆର୍ ଗଭାଇ କହିଛନ୍ତି ଯେ ସେ ନିଜେ ଏହି ମାମଲାକୁ ଦେଖିବେ ।

ଖବର ଅନୁସାରେ, ଆଇନଜୀବୀ ନନିତା ବୁଧବାର ସିଜେଆଇ ବିଆର୍ ଗଭାଇଙ୍କ ଖଣ୍ଡପୀଠଙ୍କ ସାମନାରେ ଏହି ପ୍ରସଙ୍ଗକୁ ଉଠାଇଥିଲେ । ନିନିତା ପୂର୍ବରୁ ସୁପ୍ରିମକୋର୍ଟରେ ଏକ ଆବେଦନ କରିଥିଲେ, ଯେଉଁଥିରେ ଏବିସି ନିୟମ (ପଶୁ ଜନ୍ମ ନିୟନ୍ତ୍ରଣ) ଓ ବନ୍ଧ୍ୟାକରଣ ଅଭିଯାନରେ ଶିଥିଳତା କଥା ଉଲ୍ଲେଖ କରିଥିଲେ । ସେ ଦାବି କରିଛନ୍ତି ଯେ ଯଦି ନିୟମକୁ ସଠିକ୍ ଭାବେ ଲାଗୁ କରାଯାଇଥାନ୍ତା, ତେବେ ଏଭଳି ସ୍ଥିତି ହୋଇନଥାନ୍ତା ।

ଏବେ ସୁପ୍ରିମକୋର୍ଟର ଦୁଇ ଭିନ୍ନ ଭିନ୍ନ ଖଣ୍ଡପୀଠ ପରସ୍ପର ବିରୋଧୀ ରାୟ ରହିଛି । ଗୋଟିଏ ଜଷ୍ଟିସ୍ ସଞ୍ଜୟ କରୋଲଙ୍କ ଖଣ୍ଡପୀଠର ରାୟ ଆସିଛି, ଯେଉଁଥିରେ ଏବିସି ନିୟମର କ୍ରିୟାନ୍ୱୟନ ପାଇଁ ନିର୍ଦ୍ଦେଶ ଦିଆଯାଇଛି, ଅନ୍ୟ ଏକ ଖଣ୍ଡପୀଠ ସବୁ କୁକୁରଙ୍କୁ ରାସ୍ତରୁ ହଟାଇବା ପାଇଁ ନିର୍ଦ୍ଦେଶ ଦେଇଛନ୍ତି ।

ବନ୍ଧ୍ୟାକରଣ ଏବଂ ଟୀକାକରଣ ଉପରେ ନିର୍ଦ୍ଦେଶ ପାଇଁ ଦାବି

  1. ସଂଗଠନ ୨୦୧୮ ମସିହାରେ ଦିଲ୍ଲୀ ହାଇକୋର୍ଟରେ ଏକ ଜନସ୍ୱାର୍ଥ ମାମଲା ଦାୟର କରିଥିଲା । ଏଥିରେ ପଶୁ ଜନ୍ମ ନିୟନ୍ତ୍ରଣ (କୁକୁର) ନିୟମ, ୨୦୦୧ ର ନିୟମ ୩(୩), ନିୟମ ୫(କ) ଏବଂ ନିୟମ ୬(୨) ଅନୁଯାୟୀ ନିୟମିତ ବ୍ୟବଧାନରେ ବୁଲା କୁକୁରମାନଙ୍କ ପାଇଁ ନିୟମିତ ବନ୍ଧ୍ୟାକରଣ ଏବଂ ଟୀକାକରଣ କାର୍ଯ୍ୟକ୍ରମ କରିବା ପାଇଁ କର୍ତ୍ତୃପକ୍ଷଙ୍କୁ ନିର୍ଦ୍ଦେଶ ଦେବାକୁ ଅନୁରୋଧ କରାଯାଇଥିଲା । ନିୟମ ୭ର ଧାରା ୪ ଅନୁଯାୟୀ ନିର୍ଦ୍ଧାରିତ ମାନବିକ ପଦ୍ଧତି ବ୍ୟବହାର କରି ସେମାନଙ୍କ ସଂଖ୍ୟାକୁ ନିୟନ୍ତ୍ରଣ କରିବା ଏବଂ ସେମାନଙ୍କୁ ରାବିଜ୍ ରୋଗରୁ ରକ୍ଷା କରିବା ପାଇଁ ଦାବି କରାଯାଇଥିଲା ।
  2. ୨୦୨୩ ଅଗଷ୍ଟରେ କର୍ତ୍ତୃପକ୍ଷଙ୍କ ଦ୍ୱାରା ନିଆଯାଇଥିବା ପଦକ୍ଷେପ ଉପରେ ସନ୍ତୋଷ ପ୍ରକାଶ କରିବା ପରେ ହାଇକୋର୍ଟ କୌଣସି ନିର୍ଦ୍ଦେଶ ଜାରି ନକରି ପିଆଇଏଲ୍‌ର ସମାଧାନ କରିଥିଲେ ।
  3. ହାଇକୋର୍ଟଙ୍କ ନିର୍ଦ୍ଦେଶକୁ ଚ୍ୟାଲେଞ୍ଜ କରି ଏନଜିଓ ୨୦୨୪ ଜୁଲାଇରେ ସୁପ୍ରିମକୋର୍ଟର ଦ୍ୱାରସ୍ଥ ହୋଇଥିଲା ।
  4. ୨୦୨୪ ଜୁଲାଇ ୮ରେ ବିଚାରପତି ବିଆର୍ ଗଭାଇ ଏବଂ କେ.ଭି.ବିଶ୍ୱନାଥନଙ୍କ ଖଣ୍ଡପୀଠ ସ୍ୱତନ୍ତ୍ର ଅବକାଶ ଯାଚିକା ଉପରେ ନୋଟିସ୍ ଜାରି କରିଥିଲେ ।
  5. ଆଜି ଆବେଦନକାରୀଙ୍କ ଓକିଲ କହିଛନ୍ତି ଯେ ୨୦୨୪ ସେପ୍ଟେମ୍ବର ୧୭ରେ କୋର୍ଟ ପ୍ରତିପକ୍ଷମାନଙ୍କୁ ସେମାନଙ୍କର ସତ୍ୟପାଠ ଦାଖଲ କରିବା ଏବଂ ତା’ପରେ ମାମଲାକୁ ତାଲିକାଭୁକ୍ତ କରିବା ପାଇଁ ୪ ସପ୍ତାହ ସମୟ ଦେଇଥିଲେ । କିନ୍ତୁ, ଏପର୍ଯ୍ୟନ୍ତ ମାମଲାକୁ ତାଲିକାଭୁକ୍ତ କରାଯାଇ ନାହିଁ ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.